ନୂଆଦିଲ୍ଲୀ: ପାକିସ୍ତାନର ଶାହବାଜ ସରିଫ ସରକାରଙ୍କ ଯୋଜନା ମନ୍ତ୍ରୀ ଅହସାନ ଇକବାଲ ତାଙ୍କ ଦେଶରେ ବନ୍ୟା ପାଇଁ ଭାରତକୁ ଦାୟୀ କରିଛନ୍ତି। ଇକବାଲ କହିଛନ୍ତି ଯେ, ଭାରତ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ରାବି ଏବଂ ସତଲେଜ ନଦୀରେ ଭାରତ ଦ୍ୱାରା ଛାଡି ଦିଆଯାଇଥିବା ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ହୋଇଛି। ଇକବାଲ ଭାରତ ଉପରେ ଏହି ଅଭିଯୋଗ ଏପରି ଏକ ସମୟରେ କରିଛନ୍ତି ଯେତେବେଳେ ପାକିସ୍ତାନର ପଞ୍ଜାବ ଏବଂ ପିଓକେରେ ବନ୍ୟା ତାଣ୍ଡବ ରଚୁଛି। ବନ୍ୟା ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ତିନି ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପଡିଛି।
ଡେଲି ଟାଇମ୍ସ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ନାରୋୱାଲରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସମୟରେ ଅହସାନ ଇକବାଲ ପରିସ୍ଥିତି ବିଗିଡ଼ିବା ପାଇଁ ଭାରତକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ‘ଏପରି ମନେ ହେଉଛି ଭାରତ ନିଜ ଅଞ୍ଚଳରେ ଗଚ୍ଛିତ ପାଣିକୁ ଛାଡ଼ି ଦେଉଛି। ଏହା ପାକିସ୍ତାନରେ ବିପୁଳ କ୍ଷତି କରୁଛି। ଏହା କରି ଭାରତ ପାକିସ୍ତାନ ବିରୁଦ୍ଧରେ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି।’ ଅହସାନ ଇକବାଲ କହିଛନ୍ତି ଯେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ସମୟ ମଧ୍ୟରେ ସୂଚନା ସେୟାର କରିନଥିଲା। ଯଦି ଭାରତ ସମୟ ମଧ୍ୟରେ ସୂଚନା ସେୟାର କରିଥାନ୍ତା, ତେବେ କ୍ଷତି ବହୁତ କମ୍ ହୋଇଥାନ୍ତା। ଦିଲ୍ଲୀର ଏହି ମନୋଭାବ ଯୋଗୁଁ, ଭାରତୀୟ ସୀମା ନିକଟବର୍ତ୍ତୀ ସମଗ୍ର ଅଞ୍ଚଳ ବନ୍ୟା କ୍ଷେତ୍ରରେ ପରିଣତ ହୋଇଛି ।
ଏହି ସମୟରେ ଇକବାଲ ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ ଉଲ୍ଲେଖ କରିଛନ୍ତି । ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୧୯୬୦ ମସିହାରେ ପାକିସ୍ତାନ ସହିତ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ସାଧାରଣତଃ ସିନ୍ଧୁ ଜଳ କମିଶନ ମାଧ୍ୟମରେ ବନ୍ୟା ସତର୍କତା ଦିଆଯାଇଥାଏ । ଅହସାନ କୁହିଛନ୍ତି ଯେ, ଚୁକ୍ତିନାମା ସ୍ଥଗିତ ରହିବା ଯୋଗୁଁ ଭାରତରୁ ବନ୍ୟା ସୂଚନା ଠିକ୍ ସମୟରେ ମିଳିପାରିଲା ନାହିଁ। ପାକିସ୍ତାନର ପଞ୍ଜାବରେ ରାବି ନଦୀରେ ବନ୍ୟା ଆସିବା ଯୋଗୁଁ ଗୁରୁଦ୍ୱାରା ଦରବାର ସାହିବ ସମେତ କରତାରପୁର କରିଡର ବୁଡ଼ି ଯାଇଛି। ଫସି ରହିଥିବା ଲୋକମାନଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି ।
କରତାରପୁର କରିଡର ପାକିସ୍ତାନ-ଭାରତ ସୀମାଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପଞ୍ଜାବରେ ସେନା ମୁତୟନ କରାଯାଇଛି। ପଞ୍ଜାବର ସମ୍ବେଦନଶୀଳ ଅଞ୍ଚଳରୁ ୨,୫୦,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ସମୀକ୍ଷା କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ସେ ଅଧିକାରୀମାନଙ୍କୁ ସତର୍କ ରହିବା ଏବଂ ସତର୍କତା ବ୍ୟବସ୍ଥାକୁ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।